ବଲାଙ୍ଗୀର: ରାସ୍ତାରେ ଦମ୍ପତିଙ୍କୁ ପିଛା କରି ମହିଳାଙ୍କ ବେକରୁ ସୁନା ମଙ୍ଗଳସୂତ୍ର ଲୁଟ୍ କରିବା ମହଙ୍ଗା ପଡ଼ିଲା ଦୁର୍ବୃତ୍ତକୁ। ଘଟଣାର ମାତ୍ର ୯୬ ଘଣ୍ଟା ଅର୍ଥାତ୍ ୪ ଦିନ ମଧ୍ୟରେ ଅଭିଯୁକ୍ତକୁ ସୋନପୁରରୁ ଗିରଫ କରିବାରେ ସଫଳ ହୋଇଛି ବଲାଙ୍ଗୀର ଟାଉନ୍ ପୋଲିସ। ଏଥିସହ ଲୁଟ୍ ହୋଇଥିବା ସୁନା ମଙ୍ଗଳସୂତ୍ର, ଘଟଣାରେ ବ୍ୟବହୃତ ସ୍ପିଡ୍ ବାଇକ୍ ଏବଂ ନଗଦ ୬୦୦ ଟଙ୍କା ଜବତ କରିଛି ପୋଲିସ।
ସୂଚନା ଅନୁସାରେ, ଗତ ନଭେମ୍ବର ୧ ତାରିଖ ରାତିରେ ତାଲପାଲିପଡ଼ାର ରବି ସତପଥୀ ନିଜ ପତ୍ନୀଙ୍କ ସହ ସ୍କୁଟିରେ ଯାଉଥିଲେ। ଏହି ସମୟରେ ଜଣେ ଦୁର୍ବୃତ୍ତ ସେମାନଙ୍କୁ ପିଛା କରିଥିଲା। ଝୁମ୍ପୁଡ଼ିପଡ଼ାସ୍ଥିତ ଟିଭିଏସ୍ ଶୋରୁମ୍ ସମ୍ମୁଖରେ ହଠାତ୍ ଦମ୍ପତିଙ୍କ ନିକଟରେ ପହଞ୍ଚି ମହିଳାଙ୍କ ବେକରୁ ସୁନା ଚେନ୍ ତଥା ମଙ୍ଗଳସୂତ୍ର ଲୁଟି ଫେରାର ହୋଇଯାଇଥିଲା।
ଏନେଇ ଟାଉନ୍ ଥାନାରେ ଅଭିଯୋଗ ପରେ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ଟାଉନ୍ ଥାନା ଆଇଆଇସିଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇ ସିସିଟିଭି ଫୁଟେଜ୍ ଓ ବୈଷୟିକ ପ୍ରମାଣ ଆଧାରରେ ଅଭିଯୁକ୍ତର ସନ୍ଧାନ ଆରମ୍ଭ ହୋଇଥିଲା। ଶେଷରେ ମାତ୍ର ୪ ଦିନ ମଧ୍ୟରେ ସୋନପୁର ଅଞ୍ଚଳରୁ ଅଭିଯୁକ୍ତକୁ ଧରିବାରେ ପୋଲିସ ସଫଳ ହୋଇଥିଲା।
ଗିରଫ ଅଭିଯୁକ୍ତ ଜଣକ ହେଲା ସୋନପୁର ଝୁମ୍ପୁଡ଼ିପଡ଼ାର ବିଶ୍ୱଜିତ୍ ନନ୍ଦ ଓରଫ୍ ରାଜା। ପୋଲିସ ତା' ନିକଟରୁ ଲୁଟ୍ ମଙ୍ଗଳସୂତ୍ର, ଏକ ସ୍ପିଡ୍ ବାଇକ୍ ଓ ନଗଦ ୬୦୦ ଟଙ୍କା ଜବତ କରିଛି। ଅଭିଯୁକ୍ତ ନାମରେ ପୂର୍ବରୁ ମଧ୍ୟ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ତଦନ୍ତରୁ ଜଣାପଡ଼ିଛି।
ଏହି ଘଟଣାରେ ଟାଉନ୍ ଥାନାରେ ସଂଗଠିତ ଅପରାଧ ସମ୍ପର୍କିତ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି। ଲୁଟ୍ ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ସହରରେ ବଢ଼ୁଥିବା ଲୁଟ୍ ଓ ଅପରାଧ ମଧ୍ୟରେ ଟାଉନ୍ ପୋଲିସର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଏକ ଉଲ୍ଲେଖନୀୟ ସଫଳତା ଭାବେ ଦେଖାଯାଉଛି।
ମାତ୍ର ୯୬ ଘଣ୍ଟାରେ ମଙ୍ଗଳସୂତ୍ର ଲୁଟେରାକୁ ଧରିଲା ବଲାଙ୍ଗୀର ଟାଉନ୍ ପୋଲିସ

